ଆଗ୍ରିଟେକ୍ନୋଲୋଜି
କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର

ବୁନ୍ଦା ଜଳସେଚନ ମାଧ୍ୟମରେ ପୁଷ୍ଟିସେଚନ

ଜଳସେଚନ ସହିତ ସାର ପ୍ରୟୋଗ ପଦ୍ଧତି କୁ ପୁଷ୍ଟିସେଚନ କୁହାଯାଏ । ଏହା ବୁନ୍ଦା ଜଳସେଚନ ପ୍ରଣାଳୀ ମାଧ୍ୟମରେ ଉତ୍ତମ ରୂପେ କାମ କରିଥାଏ ।

ଉପଯୋଗିତା

  • ସବୁ ଗଛକୁ ଚାହିଦା ମୁତାବକ ପାଣି ଓ ସାର ପ୍ରୟୋଗ କରିହୁଏ ।
  • ନିୟମିତ ରୂପେ ସାର ପ୍ରୟୋଗ ଯୋଗୁଁ ଗଛର ଉତ୍ତମ ବୃଦ୍ଧି ସଙ୍ଗେ ସଙ୍ଗେ ଅଧିକ ଅମଳ ମଧ୍ୟ ସମ୍ଭବ ହୁଏ ।
  • ଏହାଦ୍ୱାରା ସାର, ପାଣି ସହିତ ମିଶି ଗଛର ଚେର ପାଖରେ ସହଜରେ ପହଞ୍ଚି ଥାଏ । ତେଣୁ ଗଛ ସହଜରେ ସାର ଗ୍ରହଣ କରିପାରେ ଏବଂ ଗଛର ଚେର ସାର ଦ୍ୱାରା ଖରାପ ହେବା ସମ୍ଭାବନା ନଥାଏ ।
  • ଏହାଦ୍ୱାରା ଶତକଡ଼ା 40 ଭାଗ ସାର କମ୍ ଖର୍ଚ୍ଚ ହୋଇଥାଏ ।
  • ଏହି ସହଜ, ସରଳ ସାର ପ୍ରୟୋଗ ପ୍ରଣାଳୀ ଦ୍ୱାରା ସମୟ, ଶକ୍ତି ଏବଂ ମୂଲିଆ ଖର୍ଚ୍ଚକୁ ସଞ୍ଚୟ କରିପାରିବା ।

ସାର ପ୍ରୟୋଗ ପ୍ରଣାଳୀ

ସାଧାରଣତଃ ତିନୋଟି ଉପକରଣ ମାଧ୍ୟମରେ ପୁଷ୍ଟି ସେଚନ ହୋଇଥାଏ । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।

କ) ଭେଞ୍ଚୁରି ମାଧ୍ୟମରେ ପୁଷ୍ଟିସେଚନ

ଏହି ଭେଞ୍ଚୁରି ପ୍ରୟୋଗ ଯନ୍ତ୍ରଟି ବୁନ୍ଦା ଜଳସେଚନର ମୁଖ୍ୟ ପାଇପ୍ ସହିତ ସମାନ୍ତରାଳ ଭାବରେ ସଂଯୋଗ ହୋଇଥାଏ । ପାଣି ଭେଞ୍ଚୁରି ମଧ୍ୟସ୍ଥ ଅଣଓସାରିଆ ପଥ ଦେଇ ଗଲାବେଳେ, ଏହାର ବେଗ ବଢିଥାଏ, କିନ୍ତୁ ଚାପ ହ୍ରାସ ପାଇଥାଏ । ଏଥିଯୋଗୁଁ ଦ୍ରବୀଭୂତ ସାର ଭେଞ୍ଚୁରିରେ ଲାଗିଥିବା ପାଇପ୍ ଦ୍ୱାରା ଜଳସେଚନ ପ୍ରଣାଳୀକୁ ଶୋଷି ହୋଇ ଆସେ । ଏହାର କାର୍ଯ୍ୟକାରିତା, ବୁନ୍ଦାଜଳସେଚନ ପ୍ରଣାଳୀରେ ପାଣିର ଚାପ ଉପରେ ନିର୍ଭରଶୀଳ । ଏଥିରେ ବାହ୍ୟ ଶକ୍ତିର ଆବଶ୍ୟକତା ନଥାଏ ଏବଂ ଏହାଦ୍ୱାରା ସାର ପ୍ରୟୋଗସହଜ, ସରଳ ଏବଂ ସୁଲଭ ଅଟେ । କିନ୍ତୁ ଏହାର ବ୍ୟବହାର ଦ୍ୱାରା ବୁନ୍ଦାଜଳସେଚନ ପ୍ରଣାଳୀରେ ପାଣିର ଚାପ ହ୍ରାସ ପାଇଥାଏ । ଏହାର ମୂଲ୍ୟ ଟ. 1500 ରୁ ଟ.2500 ମଧ୍ୟରେ ହୋଇଥାଏ ।

ଖ) ସାରଟାଙ୍କି ମାଧ୍ୟମରେ ପୁଷ୍ଟିସେଚନ

ଏଥିରେ ଥିବା ସାର ଟାଙ୍କିଟି ଜଳସେଚନ ପ୍ରଣାଳୀର ମୁଖ୍ୟ ପାଇପ୍ ସହିତ ଏପରି ସଂଯୋଗ କରାଯାଏ ଯେପରିକି ଜଳସେଚନ ଜଳର କିଛି ଅଂଶ ଟାଙ୍କି ମଧ୍ୟକୁ ଯାଇ, ରାସାଇନିକ ସାର ସହିତ ମିଶି ଜଳସେଚନ ବ୍ୟବସ୍ଥା ମାଧ୍ୟମରେ ଗଛମୂଳ ଅଞ୍ଚଳକୁ ଯାଇଥାଏ । ଏହି ବ୍ୟବସ୍ଥାରେ ପାଣିର ଚାପ ଭେଞ୍ଚୁରି ତୁଳନାରେ କମ୍ ହ୍ରାସ ପାଏ ଏହା ବିଭିନ୍ନ କ୍ଷମତା ରେ ଉପଲବ୍ଧ ହୋଇଥାଏ, ଯଥା 30, 60,90 ଏବଂ 120 ଲିଟର ଇତ୍ୟାଦି । ଏହାର ମୂଲ୍ୟ ମଧ୍ୟ ଟ.4000 ରୁ 10,000 ମଧ୍ୟରେ ହୋଇଥାଏ ।

ଗ) ପୁଷ୍ଟିସେଚନ ପମ୍ପ

ଏହାଦ୍ୱାରା ଦ୍ରବୀଭୂତ ସାରକୁ ଚାହିଦା ମୁତାବକ ମାତ୍ରାରେ ବୁନ୍ଦାଜଳସେଚନ ପ୍ରଣାଳୀ ମଧ୍ୟକୁ ପ୍ରୟୋଗ କରାଯାଏ । ଏହାର ବ୍ୟବହାର ପ୍ରଣାଳୀ ସରଳ ଏବଂ ଏହାଦ୍ୱାରା ପାଣିର ଚାପ ଉପରେ କୌଣସି ପ୍ରଭାବ ପଡ଼ିନଥାଏ । ଏହା ସ୍ୱୟଂ ଚାଳିତ ଜଳସେଚନ ପ୍ରଣାଳୀ ପାଇଁ ଉପଯୁକ୍ତ ଅଟେ । ଏହାର ମୂଲ୍ୟ ଟ.15000 ରୁ ଟ.25,000 ମଧ୍ୟରେ ହୋଇଥାଏ ।

ପୁଷ୍ଟିସେଚନର ଫଳାଫଳ

ଆମ ଦେଶରେ ପୁଷ୍ଟିସେଚନ ଧୀରେ ଧୀରେ ଆଦୃତ ହେବାରେ ଲାଗିଛି । ଏହାକୁ ବୁନ୍ଦାଜଳସେଚନ ବ୍ୟବହାରକାରୀ ଚାଷୀମାନେ ଗ୍ରହଣ କଲେଣୀ ଏବଂ ଏହା ମୁଖ୍ୟତଃ ଫଳ, ଫୁଲ ଏବଂ ପନିପରିବା ଚାଷପାଇଁ ବ୍ୟବହାର କରାଯାଉଛି । ଭାରତ ସରକାରଙ୍କ ଅନୁଦାନରେ ପରିଚାଳିତ ପ୍ରେଶିସନ୍ ଫାର୍ମିଙ୍ଗ ଡ଼େଭ୍ଲପମେଣ୍ଟ ସେଣ୍ଟର ଗୁଡ଼ିକରେ ପୁଷ୍ଟିସେଚନ ଉପରେ ହୋଇଥିବା ଗବେଷଣାର ଫଳାଫଳ ନିମ୍ନରେ ବର୍ଣ୍ଣନା କରାଗଲା

ଉଦ୍ୟାନ ଫସଲରେ ପୁଷ୍ଟି ସେଚନର ପ୍ରଭାବ

କ୍ରମିକ ନଂ ଫସଲ ଅମଳବୃଦ୍ଧି (%) ସାର ସଂରକ୍ଷଣ(%)
1 ଟମାଟୋ 18 40
2 ଭେଣ୍ଡି 18 40
3 ବ୍ରକୋଲି 10 40
4 ପିଆଜ 16 40
5 କଦଳୀ 32 40
6 ଆମ୍ବ 52 20
7 ଲିଚୁ 16 20

 

ପୁଷ୍ଟି ସେଚନରେ ବ୍ୟବହୃତ ସାର

ପୁଷ୍ଟିସେଚନ ପାଇଁ ସାଧାରଣତଃ ପାଣିରେ ଦ୍ରବୀଭୂତ ହେଉଥିବା ଖାଦ୍ୟସାର ଚୟନ କରାଯାଇଥାଏ । ବର୍ତ୍ତମାନ, ପୁଷ୍ଟିସେଚନ ପାଇଁ ବିଭିନ୍ନ ପ୍ରକାର ତରଳ ଓ ପାଣିରେ ଦ୍ରବୀଭୂତ ହେଉଥିବା କଠିନ ସାର ମିଳୁଅଛି  । ବଜାରରେ ମିଳୁଥିବା ବିଭିନ୍ନ କିସମର ସାର ଗୁଡ଼ିକ ହେଲା 8 : 8 : 8, 12 : 6 : 6, 12 : 0 : 12, 19 : 19 : 19, 19 : 61 : 0, 13 : 0 : 45 ଏବଂ 0 : 52 : 34 (ଯବକ୍ଷାରଜାନ  : ଫସଫରସ୍ : ପଟାସ, ଶତକଡ଼ା ହିସାବରେ)

ସଫଳ ପୁଷ୍ଟିସେଚନ ପାଇଁ କେତେକ ସାବଧାନତା

  • ବୁନ୍ଦା ଜଳସେଚନ ପ୍ରଣାଳିର ଡ଼ିଜାଇନ୍ ଠିକ୍ ରୂପେ ହେବା ଦରକାର ଏବଂ ରକ୍ଷଣାବେକ୍ଷଣ ସମୟାନୁସାରେ ହେବା ଉଚିତ୍ । ନଚେତ୍ ପାଣି ଓସାର ପ୍ରୟୋଗ ସମାନ ଭାବରେ ହୋଇ ନଥାଏ ।
  • ପୁଷ୍ଟିସେଚନର ମାତ୍ରା, ମାଟି, ପାଣି ଏବଂ ଗଛ ପତ୍ରର ପରୀକ୍ଷଣ ରିପୋର୍ଟ ଉପରେ ପର୍ଯ୍ୟବେଷିତ ହେବା ଉଚିତ୍ ।
  • ନିର୍ବାଚିତ ସାର ପାଣିରେ ଦ୍ରବୀଭୂତ ହେବା ଆବଶ୍ୟକ ।
  • ସାର ପ୍ରୟୋଗ ସରଞ୍ଜାମ ଫିଲଟର ଗୁଡ଼ିକର ଉପର ମୁଣ୍ଡରେ ରହିବା ଦରକାର ।
  • ସାର ପ୍ରୟୋଗ ପୂର୍ବରୁ ବୁନ୍ଦାଜଳସେଚନ ପ୍ରଣାଳୀରେ ଜଳ ଉଚିତ୍ ଚାପରେ ଚାଲୁହେବା ଦରକାର ।
  • ସାର ଟାଙ୍କୀରୁ ସାର, ପାଣି ଟାଙ୍କିକୁ ଯିବାର ସମ୍ଭାବନା ଥାଏ ।
  • ଅମ୍ଳଯୁକ୍ତ ସାର ଏବଂ କ୍ଷାରଯୁକ୍ତ ସାର ପୁଷ୍ଟିସେଚନ ପାଇଁ ଏକ ସମୟରେ ମିଶାଇବା ଉଚିତ୍ ନୁହେଁ ।
  • ବ୍ୟବହୃତ ସାର ଏବଂ ଜଳସେଚିତ ଜଳର ମାନ ଅନୁପୁରକ ହେବା ଉଚିତ୍ । ନଚେତ୍ ଡ୍ରିପର ଗୁଡ଼ିକ ବନ୍ଦ ହୋଇଯିବାର ସମ୍ଭାବନା ଥାଏ ।
  • ପୁଷ୍ଟିସେଚନ ପ୍ରକ୍ରିୟା ବହୁଳ ଭାବରେ ଉଦ୍ୟାନ ଫସଲରେ ବ୍ୟବହାର ହେଲେ ଜଳ ଏବଂ ରାସାୟନିକ ସାରର ସୁବିନିଯୋଗ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଫସଲର ଗୁଣାତ୍ମକ ମାନର ଉନ୍ନତି ହେବ । ଏହାଦ୍ୱାରା ଆମେ ଉତ୍ପାଦନ ଖର୍ଚ୍ଚ କମେଇ ପାରିବା ଏବଂ ସାର ଯୋଗୁଁ ହେଉଥିବା ଜଳ ଏବଂ ମୃତ୍ତିକା ପ୍ରଦୁଷଣକୁ ରୋକିପାରିବା ।

ବୁନ୍ଦା ଜଳସେଚନର ସଫଳତା ପାଇଁ କେତେକ ଦିଗ

ବୁନ୍ଦାଜଳସେଚନ ପ୍ରଣାଳୀ ମୁଖ୍ୟତଃ ପ୍ରସ୍ତୁତକାରୀ କମ୍ପାନୀଙ୍କ ଦ୍ୱାରା ସ୍ଥାପନ କରାଯାଏ । କିନ୍ତୁ ଏହାର ଡ଼ିଜାଇନ୍ ଓ ଖର୍ଚ୍ଚ ଅଟକଳ ଇଞ୍ଜିନିୟର ମାନଙ୍କ ଦ୍ୱାରା ହେବା ଉଚିତ୍ । ଦ୍ୱିତୀୟତଃ ଏଥିରେ ବ୍ୟବହୃତ ହେଉଥିବା ମୁଖ୍ୟ ଉପାଦନ ଗୁଡ଼ିକ ଯଥା ବାଲି ଫିଲଟର, ପରଦା ଫିଲଟର, ମୁଖ୍ୟ ଓ ଉପମୁଖ୍ୟ ପାଇପ, ଲାଟେରାଲ ପାଇପ୍, ଡ଼୍ରିପର ଗୁଡ଼ିକ ଉଚ୍ଚ ଗୁଣାତ୍ମର ମାନର ହେବା ଉଚିତ୍ ଏବଂ ସେସବୁ ବି.ଆଇ.ଏସ୍ ମାନ୍ୟତା ପ୍ରାପ୍ତ ହେବା ଉଚିତ୍ । ଏହାଛଡ଼ା ଏହାକୁ ବ୍ୟବହାର କରିବା ସମୟରେ ଏହାର ସମୟ ଉପଯୋଗୀ ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦେବା ସର୍ବାଦୌ ଆବଶ୍ୟକ । ଉପରୋକ୍ତ ଦିଗୁ ଗୁଡ଼ିକ ପ୍ରତି ଯତ୍ନବାନ ହେଲେ ବୁନ୍ଦା ଜଳସେଚନ ପ୍ରଣାଳୀ ବହୁବର୍ଷ ଧରି କାମ କରିଚାଲେ ।

 

ବୁନ୍ଦା ଜଳସେଚନରେ ରିହାତି ବ୍ୟବସ୍ଥା

ଜାତୀୟ ସୂକ୍ଷ୍ମ ଜଳସେଚନ ମିଶନ ଆମ ରାଜ୍ୟର ତିରିଶଟି ଜିଲ୍ଲାରେ ଉଦ୍ୟାନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଛି । ଏଥିରେ ବୁନ୍ଦାଜଳସେଚନ ପ୍ରଣାଳୀ ସ୍ଥାପନ ପାଇଁ ଶତକଡ଼ା 70 ଭାଗ ରିହାତି ରଖାଯାଇଛି । ଏଥିପାଇଁ ଗୋଟିଏ ଚାଷୀ ପରିବାର ସର୍ବୋଚ୍ଚ 5 ହେକ୍ଟର ବା 12.5 ଏକର ଜମି ପାଇଁ ରିହାତି ପାଇପାରିବେ । ଏହାଛଡ଼ା ଚାଷୀ ଶତକଡ଼ା 30 ଭାଗ ଖର୍ଚ୍ଚ ନିଜେ ବହନ କରିବେ କିମ୍ବା ଏଥିପାଇଁ ବ୍ୟାଙ୍କରୁ ଋଣ ମଧ୍ୟ ଆଣିପାରିବେ । ତେଣୁ ଆଗ୍ରହୀ ଚାଷୀମାନେ ନିକଟସ୍ଥ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ୍ ।

ବୁନ୍ଦା ଜଳସେଚନ ପ୍ରଣାଳୀର ଉପାଦାନ ଓ ବି.ଆର.ଏସ୍ ସୂଚନାଙ୍କ

କ୍ର.ନଂ. ବୁନ୍ଦାଜଳସେଚନ ପ୍ରଣାଳୀର ଉପାଦାନ BIS ସୂଚନାଙ୍କ

1

ମୁଖ୍ୟ ଓ ଉପମୁଖ୍ୟ ପି.ଭିସି ପାଇପ IS:4985-2000

2

ଲାଟେରାଲ ପାଇ୍ IS:12786-1998

3

ଡ଼୍ରିପର IS:13487-1992

4

ଇନଲାଇନ୍ ଡ୍ରିପ ଲାଇନ୍ IS:13488-1992

5

ମାଇକ୍ରୋଟ୍ୟୁବ୍ IS:14482-1997

6

ବାଲି ଫିଲଟର IS:14606-1998

7

ପାରଦ ଫିଲଟର IS:12785-1994

8

ହାଇଡ୍ରୋ ସାଇକ୍ଲୋନ ସେପାରେଟର IS:14743-1999

Leave a Comment

Home
Farm Machinery
Micro Irrigation
Protected Cultivation
Search