ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଯାନ୍ତ୍ରୀକ ବ୍ୟବସ୍ଥା ତେଣୁ ଏହାର ସମୟ ଉପଯୋଗୀ ରକ୍ଷଣାବେକ୍ଷଣ କରିବା ଉଚିତ୍ । ଏହି ପ୍ରଣାଳୀର ରକ୍ଷଣାବେକ୍ଷଣ ଠିକ୍ ଭାବରେ ହେଲେ ଏହା ବହୁତ ବର୍ଷ ପର୍ଯ୍ୟନ୍ତ ସୁଚାରୁ ରୂପେ କାର୍ଯ୍ୟକ୍ଷମ ହୋଇଥାଏ ।
- ବୁନ୍ଦା ଜଳସେଚନ ପ୍ରଣାଳୀରେ ଚାଲୁଅବସ୍ଥାରେ ଡ୍ରିପର ଗୁଡ଼ିକର ଅବସ୍ଥିତି ଗଛର ମୂଳ ଅଞ୍ଚଳରେ ରହିବା ଦରକାର । ତାଛଡ଼ା ଡ଼୍ରିପରରୁ ବାହାରୁଥିବା ପାଣି ଓ ଏହାଦ୍ୱାରା ଓଦା ହେଉଥିବା ମାଟିକୁ ଲକ୍ଷକରି ଡ୍ରିପର ଗୁଡ଼ିକର କାର୍ଯ୍ୟକ୍ଷମ ନିର୍ଣ୍ଣୟ କରାଯାଏ । ପାଣି ବେଶୀ ବା କମ୍ ବାହାରୁଥିଲେ ଡ୍ରିପର ଗୁଡ଼ିକ ଖୋଲି ସଫା କରାଯାଏ ।
- ଏହି ପ୍ରଣାଳିରେ ମୁଖ୍ୟ ପାଇପ୍, ଉପମୁଖ୍ୟ ପାଇପ୍, ଲାଟେରାଲ ପାଇପ୍ ଇତ୍ୟାଦିରେ ପାଣି ଲିକ୍ ହେଉଥିଲେ, ତୁରନ୍ତ ସଜାଡ଼ିବା ଦରକାର ନଚେତ୍ ପାମିର ଚାପ କମ୍ ହୋଇ ଜଳସେଚନ ଠିକ୍ ଭାବରେ ହୋଇପାରି ନଥାଏ ।
- ଏହି ପ୍ରଣାଳୀରେ ଫିଲଟର ଏକ ଅତି ଆବଶ୍ୟକ ଉପାଦାନ । ଫିଲଟରରେ ଲାଗିଥିବା ପ୍ରେସର ଗଜ ଆମକୁ ଏହା ସଫା କରିବା ପାଇଁ ସୂଚିତ କରେ । ଯଦି ଆଗମନ ଓ ନିର୍ଗମ ଜଳସ୍ରୋତର ଚାପର ବ୍ୟବଧାନ 5 ମିଟରରୁ ଅଧିକ ହୁଏ, ତେବେ ତୁରନ୍ତ ଫିଲଟର ସଫା କରିବା ଉଚିତ୍ ।
- ବାଲି ଫିଲଟର ସଫା କରିବା ପଦ୍ଧତିକୁ ବ୍ୟାକୱାସ୍ କୁହାଯାଏ । ପ୍ରତିଦିନ ବୁନ୍ଦା ଜଳସେଚନ ପ୍ରଣାଳୀ ଚାଲୁ କରିବା ପରେ ଶେଷ କିଛିମିନିଟ୍ ଉପରୋକ୍ତ ପଦ୍ଧତିରେ ବାଲି ଫିଲଟର୍ ସଫା କରିବା ଉଚିତ୍ । ବ୍ୟାକୱାସ୍ ପଦ୍ଧତିରେ ଜଳ ପ୍ରବାହର ଦିଗ ସ୍ବାଭାବିକ ପ୍ରବାହର ବିପରିତ ଦିଗରେ ହୋଇଥାଏ । ଏଥିରେ ଜଳ ପମ୍ପଦ୍ୱାରା ପାଇପ୍ ମାଧ୍ୟମରେ ଫିଲଟରକୁ ଆସିଥାଏ, ବାଲିସ୍ତର ଭେଦ କରି ଉପରକୁ ଉଠି ନିର୍ଗମ ପଥଦେଇ ବାହାରକୁ ଯାଇଥାଏ । ଏହି ଜଳରାଶି ସହିତ ଫିଲଟରରେ ଥିବା ମଇଳା ମଧ୍ୟ ବାହାରିଯାଏ । ଏହି ବ୍ୟାକୱାସ୍ ସମୟରେ ଉପର ଢାଙ୍କୁଣି ଖୋଲି ସଫା କରାଯାଏ । ବାଲି ଫିଲଟରରେ ଥିବା ବାଲିକୁ ଉପର ତଳ କରିବା ଦ୍ୱାରା ମଇଳା ପାଣି ସହିତ ଉପର ଢାଙ୍କୁଣି ଦେଇ ବାହାରକୁ ଆସିଥାଏ ।
- ସ୍କ୍ରିନ୍ ଫିଲଟରକୁ ପ୍ରତିଦିନ ସଫା କରିବା ଉଚିତ୍ । ଏହାର ଘୋଡ଼ଣୀ ଖୋଲି ଏଥିରେ ଥିବା ଜାଲି ସଦୃଶ ଫିଲଟରକୁ ବାହାରକୁ ଅଣାଯାଏ । ଏହାକୁ ସଫା ପାଣିରେ ନରମ ବ୍ରସ ଦ୍ୱାରା ସଫା କରିବା ପୂର୍ବରୁ ରବର ସିଲ ସହିତ ଠିକ୍ ଭାବରେ ଲଗାଯାଏ ।
- ସେହିପରି ଡ଼ିସ୍କ ଫିଲଟର ସଫା କରିବା ପାଇଁ ଏହାର ଘୋଡ଼ଣୀ ଖୋଲି ଏଥିରେ ଥିବା ଡ଼ିସ୍କଟିକୁ ବାହାରକୁ ଅଣାଯାଏ । ଏହାର ଦୁଇ ପାର୍ଶ୍ୱରେ ଚାପ ପ୍ରୟୋଗ କରି ଏହାକୁ ଢିଲା ଅବସ୍ଥାକୁ ଆଣି ସଫା ପାଣିର ସ୍ରୋତରେ ଏହାକୁ ସଫା କରାଯାଏ । ତାପରେ ପୁନଶ୍ଚ ଏହାକୁ ଟାଇଟ୍ କରି ପୂର୍ବ ସ୍ଥାନରେ ଠିକ୍ ଭାବରେ ରବର ସିଲ ସହିତ ଲଗାଯାଏ।
- ଫିଲଟର ମଧ୍ୟଦେଇ ଆସୁଥିବା ପାଣିରେ ମଧ୍ୟ ଅତିଛୋଟ ମଇଳା କଣିକା ଏବଂ ଦ୍ରବୀଭୂତ ମଇଳା ଆସି ମୁଖ୍ୟ ପାଇପ୍, ଉପମୁଖ୍ୟ ପାଇପ୍ ଓ ଲାଟେରାଲ ପାଇପ ମଧ୍ୟରେ ଧୀରେ ଧୀରେ ଜମା ହୁଏ । ତେଣୁ ଦୁଇ ସପ୍ତାହକୁ ଥରେ ପାଇପ୍ ଫ୍ଲସ୍ କରିବା ଉଚିତ୍ । ପାଣିରେ ଥିବା ମଇଳାକୁ ଦେଖି ଆମେ ପରବର୍ତ୍ତୀ ଫ୍ଲସ୍ କେବେ କରିବା ତାହା ସ୍ଥିର କରାଯାଏ ।
- ମୁଖ୍ୟ ପାଇପ୍, ଉପମୁଖ୍ୟ ପାଇପ୍ ଏବଂ ଲାଟେରାଲ ପାଇପ ସବୁକୁ ଋତୁ ଶେଷରେ ବ୍ୟବହାର ବନ୍ଦ ପୂର୍ବରୁ ଏବଂ ଋତୁ ଆରମ୍ଭ ପୂର୍ବରୁ ଫ୍ଲସ୍ କରି ସଫା କରିବା ନିହାତି ଦରକାର ।
- ଲାଟେରାଲ ପାଇପରେ ଥିବା ମଇଳାକୁ ସଫା କରିବା ପାଇଁ ସମୟେ ସମୟେ ପାଇ ଗୁଡ଼ିକ ଶେଷରେ ଥିବା ଏଣ୍ଡକ୍ୟାପ ଖୋଲି ଦିଆଯାଏ । ସଫା ପାଣି ବାହାରିବା ପରେ ଏହାକୁ ବନ୍ଦ କରିଦିଆଯାଏ । ଗୋଟିଏ ଥରରେ ସବୁ ଲାଟେରାଲ ପାଇପ ଗୁଡ଼ିର ସଫା ନକରି କିଛିଦିନ ଅନ୍ତରରେ କିଛି କିଛି ଲାଟେରାଲ ସଫା କରିବା ଉଚିତ୍ । ମନେକରାଯାଉ ଗୋଟିଏ ବଗିଚାରେ 400 ଲାଟେରାଲ ପାଇପ୍ ଅଛି ଏବଂ ଗୋଟିଏ ମାସରେ 20 ଦିନ ବୁନ୍ଦାଜଳସେଚନ କରାଯାଉଛି । ତେଣୁ ପ୍ରୟା ପ୍ରତ୍ୟେକ ଦିନ 400/ 20 =20 ଟି ଲାଟେରାଲ ପାଇପ୍ ସଫା କରିବା ଉଚିତ୍ ।
- ବୁନ୍ଦା ଜଳସେଚନ ପ୍ରଣାଳୀରେ ଡ଼୍ରିପର ଗୁଡ଼ିକ ବନ୍ଦ ହୋଇଯିବାର ମୁଖ୍ୟ କାରଣ ହେଉଛି ପାଣିରେ ଥିବା ବିଭିନ୍ନ ଧତବ ଲବଣ ଏବଂ ଶୈବାଳ, ବ୍ୟକ୍ଟେରିଆ ଇତ୍ୟାଦି ଉପାଦାନ । ସେଥିପାଇଁ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଜଳସେଚନ ପାଣିକୁ ସଫା କରାଯାଏ । ଏହା ପାଣିରେ କ୍ଲୋରିନ୍ ପ୍ରୟୋଗ କରି କିମ୍ବା ଏସିଡ଼୍ ପ୍ରୟୋଗ କରି ସମ୍ପାଦନ କରାଯାଏ । ରାସାୟନିକ ପ୍ରକ୍ରିୟାର ବ୍ୟବଧାନ ଜଳର ଗୁଣାତ୍ମକ ମାନ ଉପରେ ନିର୍ଭର କରିଥାଏ ।
- ଜଳର ପରୀକ୍ଷଣ ରିପୋର୍ଟ ଉପରେ ନିର୍ଭର କରି ହାଇଡ୍ରୋକ୍ଲୋରିକ୍ ଏସିଡ଼ର ଉପଯୁକ୍ତ ମାତ୍ରା ବୁନ୍ଦା ଜଳସେଚନ ପଦ୍ଧତି ମଧ୍ୟକୁ ପ୍ରୟୋଗ କରାଯାଏ । ଏସିଡ଼୍ ଉପଚାର ଜଳର ଅମ୍ଳତ୍ୱ 4 ହେବା ପର୍ଯ୍ୟନ୍ତ ପ୍ରୟୋଗ କରାଯାଏ । ତାପରଦିନ ଫ୍ଲସ୍ ଭାଲବ ଓ ଲାଟେରାଲ ପାଇପ୍ ଏଣ୍ଡ କ୍ୟାପ୍ ସବୁ ଖୋଲି ଜଳସେଚନ ପ୍ରଣାଳୀ ଚାଲୁ କରାଯାଇ ପାଇପ ସବୁ ସଫା କରାଯାଏ ।
- ଯେତେବେଳେ ଜଳସେଚନ ପାଇଁ ଜଳଉତ୍ସ ହେଉଛି କୂଳ, ପୋଖରୀ, ନଦୀ ଇତ୍ୟାଦି, ଏଥିରେ ଶୈବାଳ, ବ୍ୟାକ୍ଟେରିଆ ଆଦି ଜୈବିକ ମଇଳା ସୃଷ୍ଟି ହୋଇଥାଏ। ଏହାକୁ କ୍ଲୋରିନ୍ ଦ୍ୱାରା ଉପଚାର କରିବା ଉଚିତ୍ । କ୍ଲୋରିନ୍ ଉପଚାର ପାଇଁ 5-10 ପି.ପି. ଏମ୍ ଗାଢତା ଦରକାର ଯେପରିକି ଲାଟେରାଲ ଶେଶରେ ଏହା 1 ପି.ପି.ଏମ୍ ଗାଢତା ରହିଥାଏ । ଏହାକୁ 30 ମିନିଟ୍ ପର୍ଯ୍ୟନ୍ତ ପ୍ରୟୋଗ କରି 20 ଘଣ୍ଟା ବନ୍ଦକରି ରଖାଯାଏ । ତାପରେ ଫ୍ଲସ୍ ଭାଲବ୍ ଓ ଲାଟେରାଲ ଏଣ୍ଡକ୍ୟାପ ସବୁ ଖୋଲି ଜଳସେଚନ ପ୍ରଣାଳୀ ଚାଲୁ କରି ସଫା କରାଯାଏ ।