ପମ୍ପସେଟ
ବୁନ୍ଦା ଜଳସେଚନ ପ୍ରଣାଳୀ ପାଇଁ ପମ୍ପସେଟ୍ ଏକ ମୁଖ୍ୟ ଉପାଦାନ । ଏହା ଜଳଉତ୍ସ ନିକଟରେ ବସିଲେ ମଧ୍ୟ ଏହାର କ୍ଷମତା ବୁନ୍ଦା ଜଳସେଚନ ପ୍ରଣାଳୀର ଆବଶ୍ୟକ ମୁତାବକ ହେବା ଉଚିତ୍ । ଏହା ବିଦ୍ୟୁତ୍ ଶକ୍ତି କିମ୍ବା ଡ଼ିଜେଲ ଇଞ୍ଜିନ୍ ଚାଳିତ ହୋଇଥାଏ । କିନ୍ତୁ ବୁନ୍ଦା ଜଳସେଚନ ପାଇଁ ବ୍ୟବହୃତ ପାଣିପମ୍ପ, ଫସଲ ଏବଂ ଜମି ଭିତ୍ତିରେ ନିରୁପଣ କରାଯାଏ ।
ଫିଲଟର
ବୁନ୍ଦା ଜଳସେଚନ ଫିଲଟର ଏକ ଅତି ଆବଶ୍ୟକ ଉପାଦାନ । ଏହା ପାଣିରୁ ମାଟି, ବାଲି ଓ ଅନ୍ୟାନ୍ୟ ଜୈବିକ ପଦାର୍ଥ ଦୂର କରିବାରେ ସହାୟକ ହୋଇଥାଏ । ଏହା ଫଳରେ ଡ଼୍ରିପର, ବିଭିନ୍ନ ଭାଲବ ଠିକ୍ ଭାବରେ କାମ କରିଥାଏ । ଫିଲଟର ଗୁଡ଼ିକ ବିଭଇନ୍ନ ପ୍ରକାର ହୋଇଥାଏ ଯଥା – ବାଲି ଫିଲଟର, ସ୍କ୍ରିନ୍ ଫିଲଟର ଓ ଡ଼ିସ୍କ ଫିଲଟର ଇତ୍ୟାଦି ।
କ). ବାଲି ଫିଲଟର
ପମ୍ପରୁ ନିର୍ଗତ ହେଉଥିବା ଜଳକୁ ପ୍ରଥମେ ବାଲି (ସ୍ୟାଣ୍ଡ)ଫିଲଟର ମଧ୍ୟଦେଇ ପ୍ରବାହିତ କରାଯାଇଥାଏ । ଏହା ଦ୍ୱାରା ପାଣିରେ ଥିବା ବଡ଼ ଆକାରର କଣିକା, ଭାସମାନ ପଦାର୍ଥ ପ୍ରଭୃତି ଏହାଦ୍ୱାରା ଛଣା ହୋଇଥାଏ । ଏଥିରେ ବ୍ୟବହୃତ ହୋଇଥିବା ବାଲି ଏକ ସ୍ୱତନ୍ତ୍ର ଆକାରର ହୋଇଥାଏ । ଏହାର ହାରାହାରି ଆକାର 0.8 ମି.ମି. ହୋଇଥାଏ । ଏହି ଫିଲଚର ଗୁଡ଼ିକର ପ୍ରାୟ ଦୁଇ ତୃତୀୟାଂଶ ଅଂଶ ବାଲି ଦ୍ୱାରା ପୂର୍ଣ୍ଣ ହୋଇଥାଏ । ଜଳର ପ୍ରବାହ ଓ କ୍ଷେତ୍ରରେ ଦରକାର ହେଉଥିବା ସମୁଦାୟ ଜଳର ଆବଶ୍ୟକାକୁ ନେଇ ସ୍ୟାଣ୍ଡ ଫିଲଟର ବଛା ଯାଇଥାଏ । ଏହା ବିଭିନ୍ନ କ୍ଷମତାର ଉପଲବ୍ଧ ଯେପରିକି 10 କ୍ୟୁ.ମି/ ଘଣ୍ଚା ରୁ 60 କ୍ୟୁ.ମି/ ଘଣ୍ଚା ।
ଖ). ସ୍କ୍ରିନ୍ ଫିଲଟର
ବାଲି ଫିଲଟର ମଧ୍ୟଦେଇ ଆସୁଥିବା ପାଣିରେ ଅପେକ୍ଷାକୃତ କ୍ଷୁଦ୍ର ମାଟି କଣିକା ସବୁ ସ୍କ୍ରିନ୍ ବା ପରଦା ଫିଲଟର ଦ୍ୱାରା ସଫା ହୋଇଥାଏ । ଏହି ଫିଲଟର ମଧ୍ୟ ବିଭିନ୍ନ କ୍ଷମତା ବିଶିଷ୍ଟ ଉପଲବ୍ଧ ହୋଇଥାଏ । ଏହି ଫିଲଟରରୁ ସଫା ପାଣି ମୁଖ୍ୟ ପାଇପ୍ ମଧ୍ୟକୁ ଯାଇଥାଏ ।
ଗ). ଡ଼ିସ୍କ ଫିଲଟର
ଏହାର କାର୍ଯ୍ୟକାରିତା ସ୍କ୍ରିନ୍ ଫିଲଟର କାର୍ଯ୍ୟକାରିତା ସଙ୍ଗେ ପ୍ରାୟ ସମାନ । ତେଣୁ ସ୍କ୍ରିନ୍ ଫିଲଟର ବଦଳରେ ବ୍ୟବହାର କରାଯାଇଥାଏ । ଏହା ଅଳ୍ପ ପରିମାଣର ଜୈବିକ ମଇଳା ଥିବା ପାଣି ପାଇ ମଧ୍ୟ ପ୍ରାଥମିକ ଫିଲଟର ରୂପେ ବ୍ୟବହାର କରାଯାଏ ।
ମୁଖ୍ୟ ପାଇପ୍ ଓ ଉପମୁଖ୍ୟ ପାଇପ୍ ଲାଇନ୍
ଫିଲଟରରୁ ପାଣି ମୁଖ୍ୟ ପାଇପ୍ ଓ ଉପ ମୁଖ୍ୟ ପାଇପରେ ପ୍ରବାହିତ ହୁଏ । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟବହୃତ ହେଉଥିବା ଜଳର ପରିମାଣକୁ ନେଇ ପାଇପ୍ ଦ୍ରୈଘ୍ୟ ଓ ଗୋଲେଇ ଠିକ୍ କରାଯାଏ । ବ୍ୟବହୃତ ହେଉଥିବା ମୁଖ୍ୟ ପାଇପ୍ ଓ ଉପମୁଖ୍ୟ ପାଇପ୍ ଲାଇନର ଦ୍ରୈଘ୍ୟ ଓ ଗୋଲେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । ମୁଖ୍ୟ ପାଇପ୍ ଓ ଉପମୁଖ୍ୟ ପାଇପ୍ ପାଇଁ ସାଧାରଣତଃ ପି.ଭି.ସି. ପାଇପ୍ 40 ମିମି ରୁ 90 ମି.ମି ଗୋଲେଇ ବିଶିଷ୍ଟ ବ୍ୟବହାର କରାଯାଏ । ଏହି ପାଇପ୍ ସବୁ ମାଟି ତଳେ 50 ସେ.ମି. ରୁ 75 ସେ.ମି. ଗଭୀରରେ ରହିଥାଏ ।
ଲାଟେରାଲ ପାଇପ୍
ଉପମୁଖ୍ୟ ପାଇପରୁ ଲାଟେରାଲ ପାଇପ୍ ସବୁ ବାହାରି ଗଛ ମୂଳ ଅଞ୍ଚଳ ଦେଇ ଧାଡ଼ିରେ ପଡ଼ିଥାଏ । ଏହି ଲାଟେରାଲ ପାଇପ୍ ଏଲ.ଏଲ.ଡ଼ି.ପି.ଇ. ନାମକ ପ୍ଲାଷ୍ଟିକରୁ ତିଆରି ଏବଂ ଏହା ସ୍ଥଳ ବିଶେଷରେ 12 ମିମି, 16 ମିମି ଓ 20 ମିମି ବ୍ୟାସ ବିଶିଷ୍ଟ ହୋଇଥାଏ । ଏହି ପାଇପ୍ ସାଧାରଣତଃ କଳା ରଙ୍ଗର ହୋଇଥାଏ । ବର୍ତ୍ତମାନ କିନ୍ତୁ ଧଳା ରଙ୍ଗର ଲାଟେରାଲ ପାଇପ୍ ବଜାରକୁ ଆସିଲାଣି । ଏହା କୃଷି ଯନ୍ତ୍ରପାତି ଯୋଗୁଁ ନଷ୍ଟ ହେବାର ସମ୍ଭାବନାରୁ ରକ୍ଷା କରିଥାଏ ।
ଡ଼୍ରିପର
ଡ଼୍ରିପର ମାଧ୍ୟମରେ ଜଳ ଗଛର ମୂଳ ଅଞ୍ଚଳରେ ପଡ଼ିଥାଏ । ଡ଼୍ରିପର ଗୁଡ଼ିକ ଇଞ୍ଜିନିୟରିଂ ପ୍ଲାଷ୍ଟିକରୁ ତିଆରି । ବିଭିନ୍ନ ପ୍ରକାର ଡ଼୍ରିପର ବଜାରରେ ଉପଲବ୍ଧ । ସେଗୁଡ଼ିକ ବିଭିନ୍ନ କ୍ଷମତା ବିଶିଷ୍ଟ ହୋଇଥାଏ ଏବଂ ଏହା ଘଣ୍ଟାକୁ 2 ରୁ 18 ଲିଟର ପର୍ଯ୍ୟନ୍ତ ପାଣି ଦେଇପାରେ ।
କ). ଅନଲାଇନ୍ ଡ଼୍ରିପର
ଏହି ଡ଼୍ରିପର ଗୁଡ଼ିକ ଲାଟେରାଲ ପାଇପର ଉପରେ କଣା କରି ବସାଯାଏ । ଲାଟେରାଲ ପାଇପକୁ କଣା କରି ଡ଼୍ରିପର ବସାଇବା ପାଇଁ ଏକ ଯନ୍ତ୍ର ମିଳେ । ଏହି ଡ଼୍ରିପର ଗୁଡ଼ିକ ବିଭିନ୍ନ ପ୍ରକାର ଫଳଗଛ, ନଡ଼ିଆ, କାଜୁ ଇତ୍ୟାଦି ଫସଲରେ ବ୍ୟବହାର କରାଯାଏ ।
ଖ). ଇନ୍ ଲାଇନ୍ ଡ଼୍ରିପର
ଏହା ଏକ ସ୍ୱତନ୍ତ୍ର ଧରଣର ଡ଼୍ରିପର ଏବଂ ଏହା ଲାଟେରାଲ ପାଇପ ତିଆରି ସମୟରେ ତା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଯଥା 30 ସେ.ମି, 40 ସେ.ମି, 50 ସେ.ମି, 60 ସେ.ମି ଓ 75 ସେ.ମି ବ୍ୟବଧାନରେ ଲଗାଯାଇଥାଏ । ଏହାକୁ ପନିପରିବା ଫସଲ, ଫୁଲଚାଷ ଇତ୍ୟାଦିରେ ବହୁଳ ଭାବରେ ବ୍ୟବହାର କରାଯାଏ । ଏହାଦ୍ୱାରା ଏକ ନିରନ୍ତର ପଟିରେ ଜଳସେଚନ ହୋଇଥାଏ ।
ବୁନ୍ଦାଜଳସେଚନ ପ୍ରଣାଳୀ ସ୍ଥାପନ
ବୁନ୍ଦାଜଳସେଚନ ପ୍ରଣାଳୀ ସ୍ଥାପନ ସାଧାରଣତଃ ତିନୋଟି ସୋପାନରେ ହୋଇଥାଏ । ପ୍ରଥମେ ପମ୍ପସେଟ୍ ଓ ଫିଲଟର ଗୁଡ଼ିକର ସ୍ଥାନନ, ଦ୍ୱିତୀୟରେ ମୁଖ୍ୟ ପାଇପ୍ ଓ ଉପମୁଖ୍ୟ ପାଇପ ଗୁଡ଼ିକର ସ୍ଥାପନ ଏବଂ ତୃତୀୟରେ ଲାଟେରାଲ ପାଇପ ଓ ଡ୍ରିପର ଗୁଡ଼ିକର ସଂଯୋଗ କରାଯାଇଥାଏ । ଉପରୋକ୍ତ କାର୍ଯ୍ୟ ସଂପାଦନ କଲାବେଳେ ନିମ୍ନଲିଖିତ ଦିଗ ଗୁଡ଼ିକ ପ୍ରତି ଯତ୍ନବାନ ହେବା ଉଚିତ୍ ।
- ପମ୍ପସେଟ୍ ବସାଇବା ବେଳେ ପାଇପ ଲାଇନରେ ସର୍ବନିମ୍ନ ଫିଟିଙ୍ଗସ୍ ଯଥା ‘ବେଣ୍ଡ’ ଓ ‘ଏଲବୋ’ ଲାଗିବା ଉଚିତ୍ ।
- ପମ୍ପର ନିର୍ଗମନ ପାଇପ ପ୍ରଥମେ ବାଲି ଫିଲଟର ପରେ ସ୍କ୍ରିନ୍ ଫିଲଟର କିମ୍ବା ଡ଼ିସ୍କ ଫିଲଟର ସହିତ ସଂଯୋଗ ହୋଇଥାଏ ।
- ସାର ପ୍ରୟୋଗ ଯନ୍ତ୍ର ବ୍ୟବହାର ହେବାକୁ ଥିଲେ, ଏହା ଫିଲଟର ଗୁଡ଼ିକ ପୁର୍ବରୁ ଲାଗିଥାଏ ।
- ବାଲି ଫିଲଟର ବସାଇବା ପାଇଁ ସିମେଣ୍ଟ କଂକ୍ରିଟର ଶକ୍ତି ଚଟାଣ ନିର୍ମାଣ କରି ବସାଇବା ଦରକାର ନଚେତ୍ ଫିଲଚରଟି ଦହଲି ଯିବାର ସମ୍ଭାବନା ଥାଏ ।
- ଫିଲଟର ଗୁଡ଼ିକ ସ୍ଥାପନ ଏପରି ହେବା ଉଚିତ ଯେପରିକି ଘୋଡ଼ଣି ଗୁଡ଼ିକ ସୁବିଧାରେ ଖୋଲି ହୋଇପାରୁଥିବ ।
- ବାଲି ଫିଲଟରରୁ ‘ବ୍ୟାକୱାସ୍’ ପଦ୍ଧତିରେ ପାଣି ବାହାରିଯିବା ପାଇଁ ସୁବିଧା ଥିବ ।
- ‘ବାଇପାସ୍’ ପ୍ରଣାଳିର ସଂଯୋଗ ଅନାବଶ୍ୟକ ଜଳ ବାରାରିଯିବା ପାଇଁ ନିହାତି ଆବଶ୍ୟକ ।
- ଫିଲଟର ଗୁଡ଼ିକର କାର୍ଯ୍ୟକ୍ରିତା ଜାଣିବା ପାଇଁ ପ୍ରବେଶ ପଥ ଏବଂ ପ୍ରସ୍ଥାନ ପଥରେ ଦୁଇଟି ‘ପ୍ରେସରଗଜ’ ବ୍ୟବହାର କରାଯାଏ ।
- ଡ଼ିଜାଇନ୍ ମୁତାବକ ମୁଖ୍ୟ ପାଇପ୍ ଓ ଉପ-ମୁଖ୍ୟ ପାଇପ୍ ପାଇଁ ଟ୍ରେଞ୍ଚ ଖୋଳାଯାଇ, ପିଭିସି ପାଇପ ଗୁଡ଼ିକୁ ଫିଟିଙ୍ଗସ୍ ଓ ସଲଭେଣ୍ଟ ସିମେଣ୍ଟ ଦ୍ୱାରା ଯୋଡ଼ାଯାଏ ।
- ଉପ-ମୁଖ୍ୟ ପାଇପ ଆରମ୍ଭ ଅଂଶରେ ଗୋଟିଏ କଣ୍ଟୋଲ ଭାଲବ୍ ଲଗାଯାଏ ।
- ଉପ-ମୁଖ୍ୟ ପାଇପରୁ ପୂର୍ବ ନିର୍ଦ୍ଧାରିତ ଦୂରତାରେ ଡ଼୍ରିଲ ଦ୍ୱାରା କଣା କରି ରବର ଗ୍ରୋମେଟ୍ ଓ କନେକ୍ଟର ଦ୍ୱାରା ଲାଟେରାଲ ପାଇପ୍ ସବୁ ଲାଗାଯାଏ ।
- ଲାଟେରାଲ ପାଇପକୁ ପକାଇବା ବେଳେ ଭିଡ଼ିକରି ଟାଇଟ୍ ଭାବରେ ପକାଯାଏ ନାହିଁ । ବରଂ 10 ପ୍ରତିଶତ ଅଧିକା ଲମ୍ଭା ରଖିବା ଉଚିତ୍ ଏବଂ ଏହା ସଙ୍କୋଚନ ଓ ପ୍ରସାରଣରେ ସହାୟକ ହେବ ।
- ଲାଟେରାଲ ପାଇପ ଶେଷରେ ‘ଏଣ୍ଡକ୍ୟାପ’ ଲଗାଇ ବନ୍ଦ କରାଯାଏ । କିନ୍ତୁ ଏହା ଶେଷ ଡ୍ରିପର ଠାରୁ 1 ମି ଦୂରରେ ରହିବା ଉଚିତ୍ ।
- ଡ୍ରିପର ଲଗାଇବା ପୂର୍ବରୁ ମୁଖ୍ୟ ଓ ଉପ-ମୁଖ୍ୟ ପାଇପ ସବୁକୁ ଫ୍ଲସ୍ କରି ସଫା କରାଯାଏ ଏବଂ ଏଣ୍ଡକ୍ୟାପ ଖୋଲି ଲାଟେରାଲ ପାଇପ ସଫା କରାଯାଏ । ଡ୍ରିପର ଗୁଡ଼ିକୁ ଠିକ୍ ଜାଗାରେ ଲଗାଇବା ପାଇଁ ଥଣ୍ଡା ସମୟରେ ସ୍ୱତନ୍ତ୍ର ଲାଟେରାଲ କଣା କରିବା ଯନ୍ତ୍ର ସାହାଯ୍ୟରେ କଣା କରି ଡ୍ରିପର ଗୁଡ଼ିକୁ ଲଗାଯାଏ ।
ବୁନ୍ଦା ଜଳସେଚନ ସ୍ଥାପନ ପାଇଁ କେତେକ ପ୍ରସ୍ତୁତକାରୀ କମ୍ପାନୀ ଆମ ରାଜ୍ୟରେ କାମ କରୁଛନ୍ତୁ । ସେମାନଙ୍କର ନାମ, ଠିକଣା ଓ ଯୋଗାଯୋଗ ବିବରଣୀ ନିମ୍ନରେ ଦିଆଗଲା
କ୍ର.ନଂ | କମ୍ପାନୀ ମାନଙ୍କର ନାମ ଓ ଓଡ଼ିଶା କାର୍ଯ୍ୟାଳୟ | ଯୋଗାଯୋଗ |
1 |
ଫିନୋଲେକ୍ସ ପ୍ଲାସନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍
ପ୍ଲଟ ନଂ. ଏନ-3 /31 (କ), ଆଇ. ଆର.ସି ଭିଲେଜ୍, ଭୁବନେଶ୍ୱର |
|
2 |
ଜୈନ ଇରିଗେସନ୍ ସିଷ୍ଟମ ଲିମିଟେଡ୍
28, କୃଷିବିହାର, ୟୁନିଟ୍-8, ଭୁବନେଶ୍ୱର |
|
3 |
ନେଟାଫିମ୍ ଇରିଗେସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍
680, ସହିଦ ନଗର, ଭୁବନେଶ୍ୱର |
|
4 |
ପ୍ରିମିୟର ଇରିଗେସନ୍
ପ୍ଲଟ୍ ନଂ-55/ 2166, ପାତ୍ରପଡ଼ା, ଭୁବନେଶ୍ୱର |
|
5 |
ନାଗାର୍ଜୁନ ଫର୍ଟିଲାଇଜର ଓ କେମିକାଲ
63, ଫରେଷ୍ଟ ପାର୍କ, ଭୁବନେଶ୍ୱର |